ଅନୁପ୍ରବେଶକାରୀଙ୍କ ଭିତ୍ତି ଚିତ୍ର

ହଠାତ୍ ଆମ ସରକାରଙ୍କୁ ଲାଗିଲା ଯେ, ଆମ ସହର ଗୁଡିକ ଅସୁନ୍ଦର ହେଇଯାଉଛନ୍ତି । ସହରକୁ ସର୍ବାଙ୍ଗ ସୁନ୍ଦର କରି ସଜେଇବାକୁ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି । ଖାସ୍ ସେଇଥିପାଇଁ ଆଜିକାଲି ପୁରା ଦମ୍ ରେ ଆମ ସହରମାନଙ୍କୁ ସଜେଇବାକୁ ସହରର କାନ୍ଥ ବାଡ଼ରେ ଚିତ୍ର ସବୁ ଅଙ୍କାଯାଉଛି । ଘଟଣାଟି କେବଳ ଆମ ଓଡ଼ିଶାର ରାଜଧାନୀର କାନ୍ଥ ବାଡ଼ରେ ଘଟୁନି, ସାରା ଦେଶର ଛୋଟ ବଡ଼ ସବୁ ସହରର କାନ୍ଥ ବାଡ଼ରେ ଘଟୁଛି । ଭାରତର ଛୋଟ ବଡ଼ ସହରମାନଙ୍କର ରାଜନୈତିକ ସ୍ଲୋଗାନ୍ ଓ ଫିଲ୍ମ ପୋଷ୍ଟର ଲଗାଯାଉଥିବା କାନ୍ଥ ବାଡ଼ ଏଥର ରଙ୍ଗୀନ୍ ହୋଇଉଠିଲେ । ସହରକୁ ସୁନ୍ଦର କରିବାର ଦାୟିତ୍ୱ ଚିତ୍ରଶିଳ୍ପୀ ଓ କାନ୍ଥମାନେ ନେଲେ ।

Mural Art by Trespassers Group
Public wall mural executed in Kerala

ଆମ ସରକାରୀବାବୁ ମାନେ ହେଲେ ସବଜାନତା । ସେମାନେ ହିଁ ନିର୍ଦ୍ଧାରଣ କଲେ କୋଉଠି କ’ଣ ଅଙ୍କା ଯିବ । ସ୍କୋୟାର ଫୁଟ୍ ହିସାବରେ ଟଙ୍କା ମିଳିଲା । ରୋଜଗାରର ନୂଆ ବାଟ ଫିଟିଲା । ଆର୍ଟ କଲେଜରେ ପାଠ ପଢୁଥିବା ପିଲାଏ ଆସି କାନ୍ଥରେ ଛବି ଅଙ୍କା ଶିଖିଲେ । ସେଥିରୁ ଅନୁଭୂତି ସାଉଁଟିଲେ । ଚିତ୍ରକଳା କହିଲେ ସେମାନେ ଏଥର କାନ୍ଥଚିତ୍ରକୁ ବୁଝିଲେ । କଥା କ’ଣ ନା ଅନାବନା ୱାଲିଙ୍ଗ ଓ ପୋଷ୍ଟର ମରା ସହରର ବିକୃତ କାନ୍ଥକୁ କୁଆଡେ଼ ସୁନ୍ଦର କରାଗଲା । ସରକାରଙ୍କ ବିରୁଦ୍ଧରେ ସାଧାରଣ ଯାଗାରେ କିଛି ଲେଖାହେବା ପାଇଁ ଆଉ ଯାଗା ରହିଲାନି । ସରକାର ବାହାଦୂରଙ୍କ ବରାଦରେ ଆମ ସହରର କାନ୍ଥ ବାଡ଼ ଆଉ ଖାଲି ପଡ଼ିଲାନି । ନୂଆ ନୂଆ ଇଭେଣ୍ଟ ପାଇଁ ନୂଆ ନୂଆ ଛବିର ବରାଦ ହେଲା ।

Vertical Mural Art
Street art transforming urban walls

ସରକାରଙ୍କ ବିନା ବରାଦରେ ବି ପବ୍ଲିକ ସ୍ପେସ୍ ରେ ଯୋଜନା କରି ଚମତ୍କାର ଛବି କରାଯାଇପାରେ । ସମଭାବାପନ୍ନ କିଛି କଳାକାର କିଛି ବୃହତ୍ତର ଉଦ୍ଦେଶ୍ୟ ନେଇ ଅନେକ କିଛି କରିପାରିବେ । ଅବଶ୍ୟ ଆମର ଏଠି ଏସବୁ ଅସମ୍ଭବ ମନେ ହେଉଥିଲେ ମଧ୍ୟ କେରଳରେ କିନ୍ତୁ ସମ୍ଭବ ହେଇପାରିଛି ।

ସେମାନେ ହେଲେ ସମୁଦାୟ ଦଶ ଜଣ ଯୁବ ଶିଳ୍ପୀ । ମିଳିମିଶି ଗୋଟେ ସଂଗୋଷ୍ଠୀ ଗଢିଛନ୍ତି । ନାଁ ଦେଇଛନ୍ତି ‘ଟ୍ରେସପାସରସ୍’ । ଏମିତି ଫେସବୁକ୍ ଘାଣ୍ଟୁଘାଣ୍ଟୁ ଏଇ ସଂଗୋଷ୍ଠୀର ଅନ୍ୟତମ ଚିତ୍ରଶିଳ୍ପୀ ବିଷ୍ଣୁପ୍ରୀୟନ୍ ଙ୍କ ସହ ମୋର ପରିଚୟ । ଭାରତୀୟ ଚିତ୍ରକଳା ଯେଉଁ ଗ୍ୟାଲେରୀ ସର୍ବସ୍ୱ ଓ କେବଳ ବେପାର ମନସ୍କ ହେଇଯାଇଛିତାକୁ ବିରୋଧ କରି ଏହି ଯୁବ ଶିଳ୍ପୀମାନେ ୨୦୧୮ରେ ‘ଟ୍ରେସପାସରସ୍’ ସଂଗୋଷ୍ଠୀ ଗଢିଛନ୍ତି । ବିଷ୍ଣୁପ୍ରୀୟନ୍ ଉତ୍ତର କେରଳର କଳାମଣ୍ଡଳମ୍ ବିଶ୍ୱବିଦ୍ୟାଳୟରେ ପି.ଏଚ୍.ଡି. କରୁଛନ୍ତି । ପୂର୍ବରୁ ସେ ଶଙ୍କରାଚାର୍ଯ୍ୟ ବିଶ୍ୱବିଦ୍ୟାଳୟ କାଲାଡି ରୁ ସ୍ନାତକୋତ୍ତର ଶେଷ କରିଛନ୍ତି । ବିଷ୍ଣୁପ୍ରୀୟନ୍ ଙ୍କ ଛଡ଼ା ସଂଗୋଷ୍ଠୀରେ ଯେଉଁ ଅନ୍ୟ ଯୁବଶିଳ୍ପୀମାନେ ଅଛନ୍ତି ସେମାନେ ହେଲେ; ଅର୍ଜୁନ ଗୋପୀ, ଅମ୍ବଦି କନ୍ନନ୍, ବଶର, ଜିନିଲ୍ ମଣିକନ୍ଦନ୍, ଅମିତ୍, ଶ୍ରୀଅଗ୍, ପ୍ରଣବ ପ୍ରଭାକରନ୍, ବିଷ୍ଣୁକୁମାର ଏବଂ ସିଜୋୟ ପୁଲୋଜ । ସମସ୍ତେ ସେଇ ଏକା ବିଶ୍ୱବିଦ୍ୟାଳୟରୁ ପାଠ ପଢିଛନ୍ତି ।

ପ୍ରଥମରୁ ଏମାନଙ୍କର ଗ୍ୟାଲେରୀ ବ୍ୟବସ୍ଥା ପ୍ରତି ଆସ୍ଥା ନଥିଲା । ତା’ ସାଙ୍ଗରେ କଳାକୁ ସାଧାରଣ ଲୋକଙ୍କ ପାଖକୁ ଘେନିଯିବାର ଝୁଙ୍କ୍ ବି ଥିଲା । ସେମାନେ ଅବଶ୍ୟ ପ୍ରଥମେ ଗ୍ରାଫିଟି ଆରମ୍ଭ କରିଥିଲେ । ଧାରଣା ଥିଲା, ପବ୍ଲିକ୍ ଆର୍ଟ କରି ସେମାନେ ଆପଣା ଭରଣ ପୋଷଣ କରିପାରିବେ । ହେଲେ ଗ୍ରାଫିଟି ଆର୍ଟରେ ରୋଜଗାରର ରାସ୍ତା ଏତେ ସହଜ ନଥିଲା । କିନ୍ତୁ ଏଇ ପକ୍ରିୟା ଭିତରେ ସେମାନେ ସାଧାରଣ ଲୋକଙ୍କ ସହ ମିଶିବା ସହ ସାଧାରଣ ରୁଚିବୋଧକୁ ଭଲ ଭାବରେ ପଢିପାରିଥିଲେ । ଯଥା ସମୟରେ ସେମାନେ ଗ୍ରାଫିଟି ଛାଡ଼ି ସର୍ବସାଧାରଣ ଯାଗା ମାନଙ୍କରେ ମ୍ୟୁରାଲ କରିବା ଆରମ୍ଭ କରିଦେଲେ ।

Trespassers Artist Collective
The artist collective Trespassers working in public spaces

ଟ୍ରେସପାସିଙ୍ଗ’ର ଓଡ଼ିଆ ହେଲା ଅନୁପ୍ରବେଶ । ଏମିତି ଦେଖିଲେ ଗ୍ରାଫିଟି କଳାର ମୂଳ କଥାଟି ହେଲା, ବିନା ଅନୁମତିରେ କୌଣସି ଏକ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ଛବି କରିବା । ଯାହାକି ଅନେକ ସମୟରେ ସରକାର ବିରୋଧି ଓ ପ୍ରତିବାଦ ସର୍ବସ୍ୱ ହେଇଥାଏ । ସେଥିପାଇଁ ଅନେକ ଦେଶରେ ଗ୍ରାଫିଟି ଆଙ୍କିବାକୁ ଅପରାଧ ଭାବରେ ଗଣାଯାଏ । ଗ୍ରାଫିଟିକୁ ଛାଡ଼ି ଏବେ ମ୍ୟୁରାଲ କରୁଥିବା କେରଳର ଏହି ଦଶ ଜଣିଆ ଶିଳ୍ପୀ ସଂଗୋଷ୍ଠୀଟି ଆପଣା ସଂଗୋଷ୍ଠୀର ନାଁ ‘ଟ୍ରେସପାସର୍’ ରଖିଛନ୍ତି ଓ ଗୋଟେ ଡେଉଁଥିବା କଳା ବିରାଡ଼ିକୁ ଲୋଗୋ ଭାବରେ ବ୍ୟବହାର କରୁଛନ୍ତି । ଅନ୍ଧାର ରାତିରେ କଳା ବିଲେଇ ଠାରୁ ବଡ଼ ଅନୁପ୍ରବେଶକରୀ କିଏ ହେଇପାରେ? ତାପରେ ମାଲାୟାଲାମ୍ ରେ ଟ୍ରେସପାସର୍’ର ମୂଳ ଅକ୍ଷର ‘ଟ୍ରେ’ କୁ ହିଁ ଡେଉଁଥିବା ବିଲେଇର ଚିତ୍ର ରୂପ ଦିଆଯାଇଛି ।

Large scale mural painting
Large scale public mural initiative

ସେମାନେ ପ୍ରଥମ କରି ୧୦୦ ଟଙ୍କା ସ୍କୋୟାର ଫୁଟ୍ ହିସାବରେ ସେମାନଙ୍କ କ୍ୟାମ୍ପସରେ ବିରାଟ ଏକ ମ୍ୟୁରାଲ ଆଙ୍କିଥିଲେ। କାମରୁ ଯେତିକି ପଇସା ରୋଜଗାର କରିଥିଲେ ସେଥିରୁ ୧୦ ପ୍ରତିଶତ ପରବର୍ତ୍ତୀ କାମ ପାଇଁ ସଞ୍ચୟ କରିସାରି ବାକି ଅର୍ଥକୁ ନିଜ ନିଜ ଭିତରେ ସମାନ ଭାବରେ ବାଣ୍ଟି ନେଇଥିଲେ ।

ନିଜ ନିଜ ପାଠ ପଢ଼ା ସାଙ୍ଗରେ ସଂଗୋଷ୍ଠୀ ଗୋଟେ ଚଳାଇବା ଏତେ ସହଜ କାମ ନଥିଲା । ତଥାପି ସେମାନେ ସେମାନଙ୍କ ଆଖ ପାଖରେ ପ୍ରାୟ ତିରିଶଟି ସାନ ବଡ଼ ମ୍ୟୁରାଲ କରି ସାରିଲେଣି । କିଛି କାମ ପାଇଁ ସ୍ଥାନୀୟ ଲୋକମାନେ କିଛି କିଛି ଆର୍ଥିକ ସହଯୋଗ କରିଛନ୍ତି ଆଉ କିଛି କାମ ପାଇଁ ସେମାନେ ନିଜ ନିଜ ପକେଟରୁ ପଇସା ଖର୍ଚ୍ଚ କରିଛନ୍ତି । ସୁରୁଖୁରୁରେ କାମ କରିବା ପାଇଁ ସେମାନେ ଗୋଟେ ସରଳ ରାସ୍ତା ତିଆରି କରିଥିଲେ । ସେଇଟା ହେଲା, ମ୍ୟୁରାଲ କରିବା ପାଇଁ ସେମାନେ ପ୍ରଥମେ ସେମାନଙ୍କର କୌଣସି ଏକ ବନ୍ଧୁଙ୍କ ଘର ପାଖ ସ୍ଥାନକୁ ବାଛୁଥିଲେ । ଫଳରେ ଖାଇବା ରହିବାରେ ପଇସା ଖର୍ଚ୍ଚ କରିବାକୁ ପଡୁନଥିଲା । ତାପରେ ସେମାନେ ଆଖପାଖର କୌଣସି ଏକ ରଙ୍ଗ ଦୋକାନୀ ସାଙ୍ଗରେ କଥା ହେଉଥିଲେ । ସେମାନେ ପ୍ରକୃତରେ ସେଠି କ’ଣ କରିବାକୁ ଚାହୁଁଛନ୍ତି ବୁଝାଇଲା ପରେ ପ୍ଲାଷ୍ଟିକ୍ ଇମଲସନ୍ ଓ ଏନାମେଲ୍ କଲର୍ ମିଳିଯାଉଥିଲା । ତାପରେ ସେମାନେ ସ୍ଥାନୀୟ ବୟସ୍କ ଲୋକ ଓ ଅନ୍ୟମାନଙ୍କ ଠାରୁ ସେଠାକାର କାହାଣୀ ସଂଗ୍ରହ କରୁଥିଲେ । ସେଇ ଲୋକମାନଙ୍କ ଠାରୁ ଏକଥା ମଧ୍ୟ ବୁଝୁଥିଲେ ଯେ, ପ୍ରକୃତରେ ସେମାନେ ସେମାନଙ୍କ ଘର ପାଖରେ କେମିତିକା ଚିତ୍ର ଦେଖିବାକୁ ପସନ୍ଦ କରିବେ । ତାପରେ ପୁରା ସଂଗୋଷ୍ଠୀ ମିଳିମିଶି ସଂଗୃହିତ ରାଶି ରାଶି ସ୍ଥାନୀୟ ଗପ ଓ ଲୋକ ସସ୍କୃତି, ଦୃଶ୍ୟମାନ ସସ୍କୃତି ଓ ଚାଲି ଚଳଣୀକୁ ନେଇ ସେମାନଙ୍କ ମ୍ୟୁରାଲର ରୂପରେଖ ପ୍ରସ୍ତୁତ କରୁଥିଲେ । ସ୍ଥାନୀୟ ଲୋକ ମାନଙ୍କ ପ୍ରତ୍ୟକ୍ଷ ଶାରିରୀକ ଓ ମାନସିକ ସହଯୋଗରେ ଏହିସବୁ ମ୍ୟୁରାଲ ଶେଷରେ ପ୍ରକୃତରେ ପବ୍ଲିକ୍ ଆର୍ଟ ହୋଇଉଠୁଥିଲା । ମ୍ୟୁରାଲରେ ଜଣେ ଶିଳ୍ପୀର କାହାଣୀର ଚିତ୍ରରୂପକୁ ଆଉ ଜଣେ ଶିଳ୍ପୀ ଆଗକୁ ଆଗେଇ ନେଉଥିଲା । ଦଶ ଜଣ ଶିଳ୍ପୀ ମିଳିମିଶି ଗୋଟେ ଗପ କି ଉପନ୍ୟାସକୁ ଆଗକୁ ନେଲା ପରି ମ୍ୟୁରାଲଟିକୁ ଶେଷ କରୁଥିଲେ । ଅବଶ୍ୟ ବଡ଼ ମ୍ୟୁରାଲ କରିବାର ଥିଲେ ପ୍ରଥମରୁ କିଛି ପ୍ଲାନିଂ କରିବାକୁ ହେଉଥିଲା । ମ୍ୟୁରାଲ ଭିତରେ ଆଗରୁ କାନ୍ଥରେ ଥିବା ଘରର ଝରକା, ପାହାଚ, ଏ.ସି ଆଦିକୁ କେମିତି ସମାହିତ କରାଯିବ ସେଥିପାଇଁ ଚିନ୍ତା କରିବାକୁ ହେଉଥିଲା ।

Mural integrating building elements
Mural seamlessly integrated into community architecture

ବିଷ୍ଣୁପ୍ରିୟନ୍ ତାଙ୍କ ନିଜ ଗାଁରେ ଗୋଟେ ବହୁତ ବଡ଼ ମ୍ୟୁରାଲ ପ୍ରୋଜେକ୍ଟ କରିଛନ୍ତି । ସେଥିରୁ ଗୋଟେ ମ୍ୟୁରାଲରେ ଅଛି ଗାଁର କିଛି ଲୋକ ବସି ତାସ୍ ଖେଳୁଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ବୟସ୍କା ସ୍ତ୍ରୀ ଲୋକ ଅଛନ୍ତି, ଯିଏକି ତାଙ୍କର ଉପରାର୍ଦ୍ଧ ପୁରାପୁରି ଫୁଙ୍ଗୁଳା ରଖିଛନ୍ତି । ପ୍ରକୃତରେ ବିଷ୍ଣୁପ୍ରିୟନ୍ ଙ୍କ ଗାଁରେ ସତରେ ଜଣେ ଏମିତିକା ସ୍ତ୍ରୀ ଲୋକ ଅଛନ୍ତି ଯିଏକି ନିଜର ଉପରାର୍ଦ୍ଧ ଖୋଲା ରଖନ୍ତି, ବିଡ଼ି ପିଅନ୍ତି ଓ ମିଣିପି ଲୋକମାନଙ୍କ ସହ ବସି ଆରାମରେ ତାସ୍ ଖେଳନ୍ତି ।

ସରକାରଙ୍କ ସୌନ୍ଦର୍ଯ୍ୟକରଣ ଯୋଜନା ପଛରେ ଥିବା ଅଜଣା କାରଣ ପରି ଟ୍ରେସପାସର୍ ସଂଗୋଷ୍ଠୀଙ୍କ ମ୍ୟୁରାଲ ଆଙ୍କିବା ପଛର କାରଣ ଅଜଣା ନୁହେଁ । ସେମାନେ ସ୍ପଷ୍ଟ ଭାବରେ କୁହନ୍ତି ଯେ, ସେମାନଙ୍କର ଉଦ୍ଦେଶ୍ୟ ହେଲା ସେମାନେ ସେମାନଙ୍କର ପାରିପାର୍ଶ୍ୱିକ ସ୍ଥିତି ଓ ଅବସ୍ଥିତିକୁ ନେଇ ଛବି ଆଙ୍କୁଛନ୍ତି । ଯେଉଁଥିରେ ସ୍ଥାନୀୟ ଲୋକମାନଙ୍କର ଇତିହାସ ଅଛି, ସେମାନଙ୍କର ଜୀବନ ଜୀବିକାର କଥା ଅଛି । ଯାହାକୁ ନେଇ ସେମାନେ ଗର୍ବ କରିପାରିବେ, ଖୁସି ହେଇପାରିବେ ଓ ସବୁଠାରୁ ବଡ଼ କଥା ହେଲା ଘର ପାଖରେ ଅଙ୍କା ଛବି ସାଙ୍ଗରେ ଆପଣାକୁ ଯୋଡ଼ି ପାରିବେ ।

Mural detailing local lifestyle
Art reflecting local lives, culture, and lived realities

ଅଶୀ ଦଶକରେ କେରଳୀ ଶିଳ୍ପୀ କ୍ରିଷ୍ଣକୁମାରଙ୍କର ନେତୃତ୍ୱରେ ଗଢ଼ି ଉଠିଥିବା ‘ବରୋଡା ରେଡିକାଲ’ର ଅନେକ ପ୍ରଭାବ ରହିଛି ‘ଟ୍ରେସପାସର୍’ ଉପରେ । ମୁଖ୍ୟତଃ ‘ବରୋଡା ରେଡିକାଲ’ର ରାଜନୈତିକ ବିଚାରଧାରା ସହ ଏମାନେ ଯୁକ୍ତ ହୋଇ ରହିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଭାବରେ ଗ୍ୟାଲେରୀ ବ୍ୟବସ୍ଥାକୁ ବିରୋଧ କରୁନଥିଲେ ମଧ୍ୟ ପୁଞ୍ଜିବାଦର ଛାଞ୍ଚରେ ପ୍ରତିପାଳିତ ଗ୍ୟାଲେରୀ ବ୍ୟବସ୍ଥା ଓ କଳା’ରେ କର୍ପୋରେଟିକରଣକୁ ବିରୋଧ କରନ୍ତି । ଏମାନେ ବିଶ୍ୱାସ କରନ୍ତି ଯେ, ଗ୍ୟାଲେରୀ ମାନେ ହିଁ କଳା ଓ ସାଧାରଣ କଳାରସିକ ମାନଙ୍କ ମଧ୍ୟରେ ପାଚେରୀ ହୋଇ ଠିଆ ହୋଇ ରହିଛନ୍ତି । ଗ୍ୟାଲେରୀ ମାନେ କଳା ଠାରୁ କଳାକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପବ୍ଲିକ୍ ସ୍ପେସ୍ ରେ ସେମାନେ ମ୍ୟୁରାଲ ଆଙ୍କି ଏସବୁ ଧାରା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓ ସେମାନଙ୍କ କଳାକୁ ସାଧାରଣ ଲୋକଙ୍କ ପାଖକୁ ନେଇଯାଇ ପାରିଛନ୍ତି ।

ଏଇଠି ଦିଆଯାଇଥିବା ଟ୍ରେସପାସର୍ ସଂଗୋଷ୍ଠୀର କିଛି ମ୍ୟୁରାଲ ମୁଁ ଦେଇଛି । ଆମର ତ ଏଠି ଅନେକେ ମନଇଛା ଅଙ୍କା କାନ୍ଥଚିତ୍ରକୁ ମ୍ୟୁରାଲ କହି ସୋସିଆଲ ମିଡିଆରେ ବାହାବା ନେଉଛନ୍ତି । ମୋର କହିବାର କଥା, ଆମର ଏଠାର ଯୁବ ଶିଳ୍ପୀ ମାନେ ଏମିତି କିଛି କରନ୍ତେନି? ଯେଉଁଥିରୁ ଆମ ସରକାର ବାହାଦୁର ଓ ତାଙ୍କ ନୀତି ନିର୍ଦ୍ଧାରଣକାରୀ ଅଫିସରମାନେ ବୁଝିପାରନ୍ତେ ସୌନ୍ଦର୍ଯ୍ୟକରଣ ନାଁ ରେ କାନ୍ଥ ବାଡ଼ରେ ମନଇଛା ଯଦୃଚ୍ଛା ଆଙ୍କି ପକାଇବା ଓ ମ୍ୟୁରାଲ କରିବା ଏକା କଥା ନୁହେଁ ।

ସୌନ୍ଦର୍ଯ୍ୟକରଣ ନାଁ ରେ କାନ୍ଥ ବାଡ଼ରେ ମନଇଛା ଯଦୃଚ୍ଛା ଆଙ୍କି ପକାଇବା ଓ ମ୍ୟୁରାଲ କରିବା ଏକା କଥା ନୁହେଁ ।

About the Author

Ramakanta Samantaray is an Artist, Writer, and Director based in Bhubaneswar, Odisha.

Cultural Discourse & Reflections

Share your perspective or curatorial notes on this entry.

Loading reflections...